ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜମାନ ସଗୁଣ-ରୂପୀ ଅଯୋନିସମ୍ଭୂତା-ବ୍ରହ୍ମଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକାଶିତ କିମ୍ବଦନ୍ତୀ ମଧ୍ୟରେ ଧବଳଗିରିର ଜନଜାତି ମାନଙ୍କ ଜୀବନ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ରହିଥିବା ବିଭିନ୍ନ କଥା ଲୋକଲୋଚନରେ ଅଧିକ ଆଦୃତ ଅଟେ। ଏହା ଜାଣିବା ପୂର୍ବରୁ ନୀଳମାଧଙ୍କ ତତ୍ତ୍ୱର ସମ୍ୟକ ଜ୍ଞାନ ଆବଶ୍ୟକ। ପ୍ରାକ୍ତନ କଳିଙ୍ଗର ମହୋଦଧୀ ତଟରେ ଘଟିତ ହୋଇଥିବା ଦୁଇଟି ଘଟଣା ଏଥି ସମ୍ବନ୍ଧିତ ଅଟେ। ପ୍ରଥମଟି ପୁଲସ୍ତ୍ୟ ବଂଶୀ ରାକ୍ଷସ ବା ଅସୁର ବଂଶର ରାଜୁତି କଳିଙ୍ଗରେ ଚାଲିଥିବା ସମୟରେ ମଧ୍ୟଦେଶର ଋଗବେଦ ସମୟର ଈକ୍ଷ୍ୟାକୁବଂଶୀ ମାନ୍ଧାତା ଯୌବନାଶ୍ଚଙ୍କ ମହୋଦଧୀ ନିକଟସ୍ଥ ମଧୁପୁରରେ ଲବଣାସୁର ସହ ଯୁଦ୍ଧ ଅଟେ। ସେ ତାଙ୍କ ଠାରୁ ଯୁଦ୍ଧରେ ପରାଜିତ ହୋଇ ଫେରି ଯାଇଥିଲେ। କାରଣ ଲବଣାସୁରଙ୍କ ପୂର୍ବଜ ମାନେ ମହାଦେବଙ୍କ ପାଖରେ ଯୁଦ୍ଧବିଦ୍ୟାର ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ନିକଟରେ ମହାଦେବଙ୍କ ପ୍ରଦତ୍ତ ତ୍ରିଶୂଳ ଚାଳନା ବିଦ୍ୟା ନିହିତ ଥିଲା। ମାନ୍ଧାତାଙ୍କ ଯୁଦ୍ଧ ଘଟଣା ପୌରାଣିକ ଉପାଖ୍ୟାନ ଅଟେ। ଯାମିନୀୟ ଅଶ୍ୱମେଧ ଗ୍ରନ୍ଥରୁ ଜଣାପଡେ ଯେ ରାଜା ମାନ୍ଧାତା ଋଗବେଦର ଗୋଟିଏ ସୁକ୍ତ (୧୦।୧୩୪) ଲେଖିଛନ୍ତି। ଟୀକାକାର ସାୟାନ୍ନ ତାଙ୍କୁ ରାଜର୍ଷି ରୂପେ ଉଲ୍ଲେଖ କରିଛନ୍ତି। ଯାମିନୀୟ ଅଶ୍ୱମେଧ ଗ୍ରନ୍ଥରୁ ଜଣାପଡେ ଯେ ରାଜା ମାନ୍ଧାତା ଦେବକୀପୁତ୍ର କୃଷ୍ଣଙ୍କ ର ବୟସାଧିକ ସମସାମୟିକ ଅଟନ୍ତି। ପ୍ରାଗ୍‌-ଜ୍ୟୋତିଷପୁରର ନାରକାସୁର ବଦ୍ଧ କରି ଷୋହଳ ସହସ୍ର ନାରୀ ଜନଙ୍କୁ ମୁକ୍ତି ପ୍ରଦାନ କରିଥିବା ଦ୍ୱାରାବତୀ ନଗରର ଦେବକୀପୁତ୍ର ବାସୁଦେବ କୃଷ୍ଣ (ଆବିର୍ଭାବ – ଖ୍ରୀ.ପୂ ୧୧୧୫୩, ମେ ୨୫, ଶ୍ରାବଣ କୃଷ୍ଣାଷ୍ଟମୀ। ସୌ: ଶ୍ରୀ ବେଦବୀର ଆର୍ଯ୍ୟ)  ଏହି ସମ୍ବାଦ ଶୁଣି ଲବଣାସୁରକୁ ବଦ୍ଧ କରିବା ଉଦ୍ଦ୍ୟେଶରେ ମଧୁପୁରରେ ପହଞ୍ଚି ତମାଳ ଲତା ଗହଳରେ ବିଶ୍ରାମ ନେବା ସମୟରେ ଧବଳଗିରିର ବ୍ୟାଧ ଜରା ଶବର ତାଙ୍କ ପଦଯୁଗଳକୁ ମୃଗକର୍ଣ୍ଣ ବୋଧରେ ବିଷ ଲେପିତ ଶର ନିକ୍ଷେପ କରିଥିଲେ ଯାହା ଫଳ ସ୍ୱରୂପରେ ତାଙ୍କ ଦେହାବସାନ ହୋଇଥିଲା। ଜଣେ ମହାପୁରୁଷ ତାଙ୍କ ବାଣରେ ନିହତ ହୋଇଥିବା ଜାଣି ଜରା ଶବର ତତ୍‌କ୍ଷଣାତ୍‌ ତାଙ୍କ ପାଖରେ ପହଞ୍ଚି ଥିଲେ। ଦେବକୀପୁତ୍ର ବାସୁଦେବ କୃଷ୍ଣ ତାଙ୍କ ଶେଷ ସମୟ ହୋଇ ଯାଇଛି ତଥା ଏହି ସମ୍ବାଦ ତାଙ୍କ ବନ୍ଧୁ ଫାଲଗୁନୀ ଅର୍ଜୁନଙ୍କୁ ଦେବାକୁ ଅନୁରୋଧ କରିଥିଲେ। ଅର୍ଜୁନଙ୍କ ସହାୟତାରେ ସେଠାରେ ତାଙ୍କ ଶରୀରକୁ ଚନ୍ଦନ ଓ ଅଗରୁ ବୃକ୍ଷର କାଠରେ ସେମାନେ ଦଗ୍ଧ କରିଥିଲେ। କିନ୍ତୁ କୃଷ୍ଣଙ୍କ ହୃତ୍‌ପିଣ୍ଡ ଦଗ୍ଧ ହୋଇ ନ ଥିଲା। ସେହି ଅର୍ଦ୍ଧଦଗ୍ଧ ହୃତପିଣ୍ଡକୁ ସେମାନେ ନିରାଶ ହୋଇ ସମୁଦ୍ର ଗର୍ଭରେ ସମର୍ପଣ କରିଥିଲେ। ଅର୍ଜୁନ ହସ୍ତିନାପୁର ଓ ଜରା ଶବର ଧବଳଗିରି ଫେରି ଯାଇଥିଲେ। ଏହି ପ୍ରସଙ୍ଗକୁ ଶୁଦ୍ରମୁନି ସାରଳା ଦାସ ଓଡିଆ ମହାଭାରତ ୧୦୧। ୭୩ ପୃଷ୍ଠା, ମୂଷଳୀ ପର୍ବ ଓ ୧୭୩। ୧୮୬ ପୃଷ୍ଠା, ବନ ପର୍ବ ରେ ଲେଖିଲେ। ଧବଳଗିରି ମହାଭାରତ ଉପରାନ୍ତ ନୀଳଗିରି, ନୀଳଶୈଳ ଅଟେ।

କିନ୍ତୁ ଅର୍ଦ୍ଧଦଗ୍ଧ ହୃତପିଣ୍ଡଟି କିଛିଦିନ ପରେ କିମ୍ଭୂତକିମାକାର ରୂପରେ କଠିନ ଆବରଣ ଆକାରେ ଉପକୂଳକୁ ଫେରି ଆସିଥିଲା। ତାକୁ ଈଶ୍ୱରୀୟ ଅଭିଳାଷ ରୂପେ ଗ୍ରହଣ କରି ଜରା ଶବର ସେଠାରୁ ସେହି ହୃତପିଣ୍ଡକୁ ଧବଳଗିରି ନେଇ ସେଠାରେ ଥିବା ଶାଳଗ୍ରାମ ପ୍ରସ୍ତର ଉପରେ ରଖି ତାର ଉପାସନା ଆରମ୍ଭ କରିଥିଲେ। ଏହାକୁ ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ଶୁଣି ଆସୁଥିବା ଇନ୍ଦ୍ରଦ୍ୟୁମ୍ନ, ଗାଲମାଧବ, ବିଶ୍ୱାବସୁ, ବିଦ୍ୟାପତି ଓ ସମୁଦ୍ର ତଟରେ ଭାସୁଥିବା ଶ୍ରୀଜଗନ୍ନାଥଙ୍କ ଦାରୂ ସମ୍ବନ୍ଧରେ ଶ୍ରୁତିରେ ଗଡି ଆସିଥିବା ଓ କାହାଣୀ ରୂପୀ କିମ୍ବଦନ୍ତୀକୁ ସମୟ ଅନୁସାରେ ସମାଜର ସମ୍ପ୍ରସାରିତ ପରିଧି ଅନୁସାରେ ବିଦ୍ୱାନ ମାନେ ଭିନ୍ନ ଭିନ୍ନ ଭାବରେ ତାକୁ ଉପସ୍ଥାପନ କରିଛନ୍ତି। ସେହି ବ୍ୟାଖ୍ୟାନରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଶ୍ରୀବିଷ୍ଣୁ ତାଙ୍କ ପ୍ରତିରୂପକୁ ଧବଳଗିରିରେ ଉପାସନା କରା ଯାଉଥିବା ବିଷୟ କହିଲା ପରେ ଚତୁର୍ଦିଗକୁ ଚାରି ଜଣ ବ୍ରାହ୍ମଣ ପଠେଇ ତାଙ୍କ ପ୍ରତିମାଙ୍କୁ ଠାବ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ତାର ଫଳ ସ୍ୱରୂପରେ ବସୁକର ବ୍ରାହ୍ମଣ ତାଙ୍କର ସନ୍ଧାନ ଧବଳଗିରିରେ ପାଇ ତା’ର ସମ୍ବାଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିଲେ।

ବସୁକର ବ୍ରାହ୍ମଣଙ୍କୁ ଋଗବେଦୀୟ ବସୁକ୍ର ବସୁବର୍ଣ୍ଣୋ ରପେ ଚିହ୍ନଟ କରିବାର ତର୍କ ଏହା ଦିଆ ଯାଇପାରେ ଯେ ତାଙ୍କର ସୁକ୍ତ (ଋ ବେ ୧୦।୬୫।୧, ୧୩) ରଚନାର ସମୟ ସକାଳ ଥିଲା ତଥା ସେତେବେଳେ ସେ ସମୁଦ୍ର କୁ ଦେଖୁଥିଲେ। ସରସ୍ୱତୀ ନଦୀ ଙ୍କୁ ବି ବର୍ଣ୍ଣନା କରୁଚନ୍ତି। ଅଜ ଏକପାଦଙ୍କୁ ବି ବର୍ଣ୍ଣନା କରୁଚନ୍ତି। ସକାଳେ ଉଦିତ ସୂର୍ଯ୍ୟଙ୍କୁ ସମୁଦ୍ର ଦିଗବଳୟ ରେ ଜଣେ କେବଳ ପୂର୍ବତଟରେ ଦେଖି ପାରିବେ। ଦ୍ୱିତୀୟରେ ସେ ଚିହ୍ନିତ ଇନ୍ଦ୍ରଦ୍ୟୁମ୍ନ ଙ୍କ ସମସାମୟିକ ଥିଲେ। ଯାହା ପ୍ରତୀୟମାନ ହୁଏ, ଋଗବେଦର ଦଶମ ମଣ୍ଡଳ, ୬୫-୬୬ ସୁକ୍ତର ରଚୟିତା ବାସୁକ୍ର ବାସୁକର୍ଣ୍ଣୋ ସାରଳା ମହାଭାରତ, ବନପର୍ବ ପୃ ୧୮୩, ୧୩୨ ଓ ୧୩୪ ପଦରେ ବର୍ଣ୍ଣିତ ବସୁକର ଦ୍ୱିଜ ଅଟନ୍ତି। ଋଷିଙ୍କ ଠାରୁ ତାଙ୍କର ସନ୍ଧାନ ପାଇ ମଧ୍ୟଦେଶର ଦକ୍ଷିଣାଞ୍ଚଳ ଭଦ୍ରା ନଦୀ କୂଳ ରାଜଧାନୀ ଭଦ୍ରାବତୀର ରାଜା ଇନ୍ଦ୍ରଦ୍ୟୁମ୍ନ ଭଦ୍ରାବତୀ ଓ ପୁରୁଷୋତ୍ତମ ର ରାସ୍ତାରେ ହୈହେୟଙ୍କ ପରେ ମାହଷ୍ମତୀରେ ଶାସନ କରୁଥିବା ନାଗବଂଶୀ ଯୋଦ୍ଧା ମାନଙ୍କ ସହ ସେଠାରେ ଆସି ପହଞ୍ଚି ଥିଲେ। ନାଗବଂଶୀମାନେ ମହାଦେବଙ୍କ ଶିଷ୍ୟ ଭଗବାନ ପର୍ଶୁରାମଙ୍କ ଶିଷ୍ୟ ଥିଲେ। ସେମାନଙ୍କ ସହାୟତାରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହୋଦଧୀ ତଟରେ ଅସୁର ବଂଶ ସମୂଳେ ନାଶ କରି ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଦେହାବସାନର ୧୦୦ ବର୍ଷ  ପରେ ଖ୍ରୀ.ପୂ ୧୦୯୭୦ ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ।

ବ୍ରହ୍ମାଣ୍ଡ ପୁରାଣ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଶ୍ରୀବିଷ୍ଣୁଙ୍କ ଜନ୍ମତିଥି ରୂପେ ବର୍ଣ୍ଣନା କରନ୍ତି। ସେହି ତିଥିରେ ତାଙ୍କର ପ୍ରତିରୂପ ଦେବକୀପୁତ୍ର ବାସୁଦେବ କୃଷ୍ଣ ଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡକୁ ନୀଳମାଧବ ରୂପେ ଧବଳଗିରି ରେ ପ୍ରତିଷ୍ଠିତ କରା ଯାଇଥିଲା। ଆଜିର ସମୟରେ ମଧ୍ୟ ଜଗନ୍ନାଥ ରୂପୀ ନୀଳମାଧବଙ୍କ ଜନ୍ମ ତିଥି ଜ୍ୟେଷ୍ଟ ପୂର୍ଣ୍ଣିମା ଦିନ ସ୍ନାନ ପୂର୍ଣ୍ଣିମା ରୂପେ ପାଳନ କରା ଯାଉଛି। ବ୍ରହ୍ମାଣ୍ଡୀୟ ଭୁଗୋଳର ସଂରଚନା ରେ ଏହି ତିଥି କେବେ ଦିନେ ପୁରା ସଂସାର ପାଇଁ ଏକ ମହତ୍ୱପୂର୍ଣ୍ଣ ସନ୍ଧି ଥିଲା। ବର୍ଷା ଆଗମନ ଦ୍ୱାରା ବର୍ଷ ଆରମ୍ଭ ସୂଚନାର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ହୋମଯଜ୍ଞାଦି କର୍ମ ସହ ଚାଷବାସାଦି କର୍ମର ଆରମ୍ଭ ହୋଇଥାଏ। ଜ୍ୟୋତିଷ୍କ ଶାସ୍ତ୍ରର ବିଦ୍ୱତାମାନେ କହନ୍ତି ବୈଦିକ ସମୟରେ ଯଦିଓ ମାଘ ଶୁକ୍ଳ ପ୍ରତିପଦା, ଧନିଷ୍ଠା ନକ୍ଷତ୍ର ରହଣୀ ସମୟରୁ ନୂତନ ବର୍ଷୋତ୍ସବର ଆରମ୍ଭ କରା ଯାଇଥିଲା, ବ୍ରହ୍ମାଙ୍କର ବ୍ରହ୍ମାବର୍ତ୍ତରେ ପୈତାମହ ସିଦ୍ଧାନ୍ତ ସିଦ୍ଧାନ୍ତ (୨୮ ନକ୍ଷତ୍ର ଏବଂ ୭ ରାଶି) ର ଚଳଣି ପୂର୍ବରୁ ନୂତନ ବର୍ଷର ଶୁଭାରମ୍ଭ ଜ୍ୟେଷ୍ଠ ପୂର୍ଣ୍ଣିମାନ୍ତେ ବର୍ଷାର ଆଗମନ ସମୟରେ ହେଉଥିଲା। ସେଥିପାଇଁ ସେହି ଦିନ ଯଜ୍ଞାଦି କର୍ମ ଦ୍ୱାରା ସମାଜରେ ଉତ୍ସବ ପାଳନ କରା ଯାଉଥିଲା। ଋଗବେଦ ୭ମ ମଣ୍ଡଳ ୧୦୩ ସୁକ୍ତ ବର୍ଷା ସମୟର ବର୍ଣ୍ଣନା, ଋଷି, ବ୍ରାହ୍ମଣ (ବ୍ରହ୍ମାଙ୍କର ଶିଷ୍ୟ, ପୁତ୍ରାଦି) ମାନଙ୍କୁ ଦିଆ ଯାଇଥିବା ଦିଗଦର୍ଶନ ଆଦି ଏହି ସମୟକୁ ସୂଚାଇ ଥାଏ। ସେହି ସମୟର ବର୍ଷା ଶବ୍ଦରୁ ଯେ ବର୍ଷ ଶବ୍ଦର ଉତ୍ପତ୍ତି ତାହା ସହଜରେ ଅନୁମେୟ। ଏହା ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ନୀଳମାଧବ ତତ୍ତ୍ୱର ଇତିହାସ ହୋଇପାରେ। ବେଦର ସୃଷ୍ଟି ୧୩୦୦୦ ରୁ ୧୫୦୦୦ ବର୍ଷ ତଳେ ହୋଇଥିବାର ଦାବୀ କରୁଥିବା The Chronology of India ର ଲେଖକ ବେଦବୀର ଆର୍ଯ୍ୟ ମତ ଦିଅନ୍ତି, ଦେବକୀପୁତ୍ର ବାସୁଦେବ କୃଷ୍ଣ (୧୧୧୫୦-୧୧୦୫୦ ଖ୍ରୀପୂ) ଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡର ଉପାସନା ମହାଭାରତ ଶ୍ରୀକୃଷ୍ଣ (୩୨୨୩ – ୩୧୨୬ ଖ୍ରୀପୂ) ଙ୍କ ଅନେକ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା। ନୀଳାଦ୍ରି ମହୋଦୟ  କହନ୍ତି – ବ୍ରହ୍ମାଙ୍କର ପଞ୍ଚମ ବଂଶରେ ଜନ୍ମିତ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିରରେ ବିଗ୍ରହଙ୍କ ପ୍ରତିଷ୍ଠା ନିମନ୍ତେ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକ କୁ ଯାଇ ଫେରି ପାରି ନାହାଁନ୍ତି। ପରେ ସେ ଫେରିଲା ପରେ ଆଉ ଜଣେ ରାଜା ରାଜତ୍ୱ କରୁଥିଲେ। ଏହା ନୀଳମାଧବ ଓ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମଧ୍ୟରେ ଥିବା ଐତିହାସିକ ଅସଂଯୋଗିତ ତତ୍ତ୍ୱର ବ୍ୟାଖ୍ୟାନ ହୋଇପାରେ। ବାସ୍ତବିକତା ନୁହେଁ। ଇନ୍ଦ୍ରଦ୍ୟୁମ୍ନ ଙ୍କ ନାମ ମହାଭାରତ ବର୍ଣ୍ଣନା କରିବା ପୂର୍ବରୁ ସର୍ବପ୍ରଥମେ ଋଗ୍‌ବେଦରେ ଦେଖିବାକୁ ମିଳେ। ସେ ମୈତ୍ରିୟାଣୀ ଉପନିଷଦରେ ବର୍ଣ୍ଣିତ ହୋଇଛନ୍ତି।

ଦ୍ୱିତୀୟ ଘଟଣା ରାମାୟଣରେ ବର୍ଣ୍ଣିତ ଶତୃଘ୍ନଙ୍କ ଲବଣାସୁର ବଦ୍ଧ ଅଟେ। ଶତୃଘ୍ନ ପୁରୁଷୋତ୍ତମପୁରୀ ଠାରେ ନିର୍ବାସିତ କବନ୍ଧଙ୍କ ଜ୍ଞାତି-କୁଟୁମ୍ବ ମାନଙ୍କୁ ସ୍ଥାପିତ କରେଇ ଥିଲେ। ଅନେକ ସମ୍ଭାବନାରେ କବନ୍ଧଙ୍କ ଜ୍ଞାତି-କୁଟୁମ୍ବ ଅଜି ନାଗଙ୍କ ବଂଶଜ ଥିଲେ ଯେଉଁମାନେ ପୂର୍ବ ଏସିଆରୁ ଫେରିଥିବା ବିଷୟ ଏତିହାସିକମାନେ କହିଥାନ୍ତି।  ଐତିହାସିକ ମାନେ ଲବଣାସୁର ବଦ୍ଧର ଦୁଇଟି ଘଟଣାର ସ୍ଥାନ ମଥୁରା ରୂପେ ନିର୍ଦ୍ଧାରିତ କରିଛନ୍ତି। ପୁରାଣ ତଥା ରାମାୟଣରେ ଲବଣାସୁର ଲୁଣ-ସଂଗ୍ରହକାରୀଙ୍କ ଅଧିକାରୀଙ୍କୁ ଲବଣାସୁର ଲେଖିଛନ୍ତି। ବାସ୍ତବରେ ମଧୁପୁର ପୁରୁଷୋତ୍ତମ ଶ୍ରୀକ୍ଷେତ୍ରର ପ୍ରାଚୀନ ନାମ ଥିଲା। ମଥୁରା କେବେ ହେଁ ଲବଣ ସଂଗ୍ରହକାରୀଙ୍କ ସ୍ଥାନ ହୋଇ ନ ପାରେ। 

ଏହା ମହାପ୍ରଭୁଙ୍କ ସମ୍ବନ୍ଧିତ କିମ୍ବଦନ୍ତୀ ରେ ପରିବର୍ତ୍ତିତ ଐତିହାସିକ ଘଟଣା ଅଟେ। ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଷୟରେ ତା ଠାରୁ ଉଣା କିମ୍ବଦନ୍ତୀ ରହିଛି। ରାଧାଙ୍କର ପ୍ରେମ ବୃତ୍ତାନ୍ତ ଶୁଣି ଆତ୍ମବିଭୋର ହୋଇ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସମେତ ତିନି ଭାଇ ଭଉଣୀ ଭାବସମାଧିରେ ଚକ୍ଷୁ ବିଷ୍ଫାରିତ ପୂର୍ବକ ହସ୍ତ ପଦ ସଙ୍କୁଚିତ ହୋଇ ଦାରୁଭୂତ ଅବସ୍ଥାରେ ପହଞ୍ଚି ଥିବା କିମ୍ବଦନ୍ତୀ ଭଗବତ ପ୍ରେମୀଙ୍କ ନିମନ୍ତେ ଅତିଶୟ ଲୋକପ୍ରିୟ ଅଟେ। ଏହି ପୌରାଣିକ ତଥ୍ୟ ଅନୁସାରେ ଦ୍ୱାପର ଯୁଗରେ ଥରେ ଅଷ୍ଟପାଟବଂଶୀ, ବୃନ୍ଦା ଙ୍କ ଠାରୁ ଶ୍ରୀକୃଷ୍ଣ ଲୀଳା ଶ୍ରବଣ କରୁଥିବାବେଳେ ଅନ୍ତଃପୁରକୁ କେହି ଯେପରି ପ୍ରବେଶ ନ କରି ପାରନ୍ତି, ସେଥିପାଇଁ ଦେବୀ ସୁଭଦ୍ରାଙ୍କୁ ଦ୍ୱାର ଜଗାଇ ଦେଲେ। ଏ ପ୍ରସଙ୍ଗ ବ୍ୟାଖ୍ୟାନ କଲାବେଳେ କୃଷ୍ଣ ଓ ବଳରାମଙ୍କ ଚିତ୍ତ ଆନ୍ଦୋଳିତ ହେଲା। ସେମାନେ ଶ୍ରୀ ରାଧାଙ୍କର ଭକ୍ତି ଓ ପ୍ରେମ କଥା ଶୁଣିବା ପାଇଁ ବ୍ୟାକୁଳ ହୁଅନ୍ତେ ସୁଭଦ୍ରା ଏଥିରେ ବାଧା ଦେଇ ଅନ୍ତଃପୁର ଆଡକୁ ମୁଖ କରି ଦୁଇ ଦୁଆରବନ୍ଧରେ ହାତ ରଖି ପଥ ଅବରୋଧ କଲେ। କୃଷ୍ଣ ଓ ବଳରାମ ବାଧ୍ୟ ହୋଇ ଅନ୍ତଃପୁର ଆଡକୁ ମୁଖ କରି ସୁଭଦ୍ରାଙ୍କ ଦୁଇ ପାର୍ଶ୍ୱରେ ନୀରବରେ ଦଣ୍ଡାୟମାନ ହୋଇ ବ୍ରଜଲୀଳା ଶ୍ରବଣ କଲେ। ଏହି ଲୀଳା ଶବଣ କରୁଥିଲାବେଳେ ଭାଇଭଉଣୀ ତିନିଜଣ ମହା ସମାଧିରେ ନିମଗ୍ନ ହୋଇଗଲେ। ସେମାନଙ୍କ କଳେବର ବିଗଳିତ ହେବାକୁ ଲାଗିଲା ଏବଂ ଚକ୍ଷୁ ବିଷ୍ଫାରିତ ହୋଇଗଲା। ସେମାନଙ୍କର ମହାଭାବ ପ୍ରବଳ ହେବାରୁ ଭାଇ ଭଉଣୀ ତିନିଜଣ ଙ୍କର ହସ୍ତପଦ ସଙ୍କୁଚିତ ହୋଇଗଲା। ସୁଦର୍ଶନ ଚକ୍ର ମଧ୍ୟ ତରଳିଯାଇ ସ୍ତମ୍ଭାକୃତି ଧାରଣ କଲା। ଏହି ସମୟରେ ନାରଦ ବୀଣା ବାଦନ ପୂର୍ବକ ସେଠାରେ ପହଞ୍ଚି ପ୍ରଭୁଙ୍କୁ ପୂର୍ବ ରୂପ ଧାରଣ କରିବା ପାଇଁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଏପରି ଅପୂର୍ବ ଚତୁଃଷ୍ଟୟ ରୂପ ଜଗତବାସୀଙ୍କୁ ପ୍ରଦର୍ଶନ କରିବାକୁ ଶ୍ରୀକୃଷ୍ଣଙ୍କୁ ଅନୁରୋଧ ଜଣାଇଲେ। ନାରଦଙ୍କ ପ୍ରାର୍ଥନା ସ୍ୱୀକାର କରି ପ୍ରଭୁ କହିଲେ ଯେ ସେମାନେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ତଥା ସୁଦର୍ଶନ-ଚକ୍ର – ଏହିପରି ଚତୁର୍ଦ୍ଧା ମୂର୍ତ୍ତି ରୂପେ କଳିଯୁଗରେ ଦ୍ୱାପର ଯୁଗରେ ଶ୍ରୀ ମନ୍ଦିରରେ ପୂଜା ପାଇବେ। (ଶ୍ରୀ ସିଦ୍ଧାର୍ଥ କାନୁନଗୋ, କିଏ ଏହି ସୁଭଦ୍ରା, ଉତ୍କଳ ପ୍ରସଙ୍ଗ – ଜୁଲାଇ ୨୦୦୫। ଶ୍ରୀ କାନୁନଗୋ ପୁରାଣର ନାମ ଉଲ୍ଲେଖ କରି ନାହାଁନ୍ତି) ଏହାକୁ ଦାରୁବ୍ରହ୍ମ ସ୍ୱରୂପ ରୂପେ ଜ୍ଞାନୀମାନେ ଚର୍ଚ୍ଚା କରିଥାନ୍ତି।

ଓଡିଆ ମହାଭାରତ, ମୂଷଳୀ ପର୍ବରେ ସାରଳା ଦାସ ଶ୍ରୀକୃଷ୍ଣଙ୍କ ଅକ୍ରୁରଙ୍କୁ ଶେଷ ସମୟରେ ଦେଇଥିବା ଉପଦେଶରେ ତାଙ୍କ ଉପସ୍ଥିତି ନୀଳାଦ୍ରି ଶିଖରେ ରହିବା ନେଇ ଭବିଷ୍ୟବାଣୀ କରିଛନ୍ତି। ସଂସ୍କୃତ ମହାଭାରତ ମୂଷଳୀ ପର୍ବ ଅନୁସାରେ ଯୁଦ୍ଧର ୩୬ ବର୍ଷ ପରେ ପ୍ରଥମେ ବଳରାମ ଓ ପରେ ଶ୍ରୀକୃଷ୍ଣଙ୍କ ଦେହାବସାନ ପୂର୍ବରୁ ଅର୍ଜୁନ ତାଙ୍କ ସହ ମହିଳାମାନଙ୍କୁ ନେଇ ଦ୍ୱାରାବତୀ ନଗରରୁ ହସ୍ତିନାପୁର ଫେରିବା ରାସ୍ତାରେ ଦସ୍ୟୁଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିବା ବିଷୟ ଲେଖୁଛନ୍ତି। ଅଥଚ ସୁଭଦ୍ରାଙ୍କ ବିଷୟରେ କିଛି ଲେଖି ନାହାଁନ୍ତି। ସୁଭଦ୍ରାଙ୍କ ଶେଷ ଜୀବନ ସମ୍ବନ୍ଧରେ ପୁରାଣ ନୀରବ ରହିବା ଦର୍ଶାଉଛି ଯେ ବଳରାମ, ଶ୍ରୀକୃଷ୍ଣ, ସୁଭଦ୍ରା ଓ ଯାଦବବଂଶୀଙ୍କ ସହ ସମଗ୍ର ଦ୍ୱାରାବତୀ ନଗର ଏକା ସମୟରେ ସମୁଦ୍ର ତଳ ଭୁମିକମ୍ପ ଓ ସୁନାମୀ ଦ୍ୱାରା ଜଳଧିରେ ଲୀନ ହୋଇ ଯାଇଥିବା ସମ୍ଭାବନା ଅଧିକ। ଏହା ଏକ ପ୍ରାକୃତିକ ବିପର୍ଯୟ ଥିଲା। ଅର୍ଜୁନ ସୁଭଦ୍ରାଙ୍କୁ ନେଇ ଦ୍ୱାରାବତୀ ନଗର ଯାଇଥିବା ତଥା ଭୂମିକମ୍ପ ଓ ସୁନାମୀ ପୂର୍ବରୁ ସେଠାରେ ସୁଭଦ୍ରାଙ୍କୁ ଛାଡି ହସ୍ତିନାପୁର ଫେରି ଆସିବା ପରେ ଦ୍ୱାରାବତୀ ନଗର ଭୁମିକମ୍ପ ଓ ସୁନାମୀ ଦ୍ୱାରା ସମୁଦ୍ର ଗର୍ଭରେ ଯାଇଥିବା ସମ୍ଭାବନା ଅଧିକ। ପରେ ସମଗ୍ର ଯଦୁ ବଂଶ ଋଷିଙ୍କ ଅଭିଶାପ ଯୋଗୁଁ ହୋଇଥିବା ବିଷୟ ଓ ତା’ର ପରେ ପଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସଙ୍ଗରେ ବାନପ୍ରସ୍ଥରେ ଯାଇ ସ୍ୱର୍ଗାରୋହଣ କରିଥିବା ବିଷୟ ପୁରାଣ କହୁଥିଲା ବେଳେ ସେହି ସମୟରେ ଦ୍ୱାରାବତୀ ନଗର ଜଳଗର୍ଭା ହୋଇଥିବା ବିଷୟ ଐତିହାସିକ ମାନେ ପ୍ରମାଣିତ କରିଛନ୍ତି। ତିନି ଭାଇ ଭଉଣୀଙ୍କ ବିଷ୍ଫାରିତ ନେତ୍ର ତଥା ସଙ୍କୁଚିତ ହସ୍ତ ପଦ ରେ ଜଳମଗ୍ନ ଶରୀର କୁ ଶ୍ରୀରାଧାଙ୍କ ନାମଶ୍ରବଣ ଅବସ୍ଥା ରୂପେ ପୁରାଣକାର ମାନେ ଭୂଷିତ କଲେ।

ବିଭିନ୍ନ ପୁରାଣ, ସାହିତ୍ୟରେ ରାଧା-ତତ୍ତ୍ୱର ବର୍ଣ୍ଣନା ହୋଇଥାଏ। ନାରଦ ପଞ୍ଚରାତ୍ର ସଂହିତା ଦ୍ୱିତୀୟ ରାତ୍ର – ତୃତୀୟ ଅଧ୍ୟାୟ ରେ ମହାଦେବ ଓ ନାରଦଙ୍କ କଥୋପକଥନ ରେ ରାଧାଙ୍କ ତତ୍ତ୍ୱ ବର୍ଣ୍ଣନା ରହିଛି। ଶ୍ରୀରାଧାଙ୍କ ଆବିର୍ଭାବ ସମ୍ବନ୍ଧରେ ନାରଦଙ୍କ ପ୍ରଶ୍ନର ଉତ୍ତର ଦେଇ ମହାଦେବ କହୁଛନ୍ତି – ପ୍ରଥମରେ ଭଗବାନ ସ୍ୱୟଂକୁ ଦୁଇ ଭାଗରେ ବିଭକ୍ତ କଲେ। ଗୋଟିଏ ଭାଗ ସ୍ତ୍ରୀ ରୂପେ ବିଷ୍ଣୁ-ମାୟା ନାମେ ଅଭିହିତ ହେଲା ଏବଂ ତାଙ୍କ ଅନ୍ୟ ରୂପରେ ସେ ସର୍ବୋଚ୍ଚ ଉପଭୋକ୍ତା ହୋଇ ରହିଲେ। ଏହା ବେଦାନ୍ତ ତତ୍ତ୍ୱ ଅଟେ। ଏହାକୁ ବରାହମିହିର ତାଙ୍କ ବୂହଦ୍‌ ସଂହିତାରେ ବ୍ରହ୍ମ ରୂପୀ ଜଗନ୍ନାଥ ଓ ଜୀବ ରୂପୀ ବଳଭଦ୍ର ମଧ୍ୟରେ ମାୟା ରୂପୀ ଏକାନଂଶା ରହିଥିବା ଦର୍ଶାଇ ଉପସ୍ଥାପନ କରିଥିଲେ। ଏହା ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ୱ ଅଟେ। ଏହାକୁ ଦୁଇଟି ଅବସ୍ଥାରେ ପର୍ଯ୍ୟାୟଭୁକ୍ତ କରି ହେବ। ପ୍ରଥମ ଅବସ୍ଥା ତ୍ରିମୂର୍ତ୍ତିଙ୍କ ସ୍ଥାପନା। ଦ୍ୱିତୀୟ ଅବସ୍ଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଉପାସନା।

ମହାଭାରତ ଯୁଦ୍ଧରେ ତତ୍କାଳୀନ କଳିଙ୍ଗ ସମେତ ସମସ୍ତ ଦକ୍ଷିଣର ପାଣ୍ଡ୍ୟ ଚୋଳ ରାଜା ମାନେ ଦୁର୍ଯ୍ୟୋଧନ ସପକ୍ଷରେ ରହିବା ସମ୍ଭାବନା ଅଧିକ ଥିବା ହେତୁ ଉତ୍ତର, ପଶ୍ଚିମ ଓ ପ୍ରାଚ୍ୟ ଭାରତର ତିନି ଜଣ ନାରୀ ଦ୍ରୌପଦୀ, ସୁଭଦ୍ରା ଓ ଉତ୍ତରା ଙ୍କ ସହାୟତାରେ ପାଞ୍ଚାଳ, ମତ୍ସ୍ୟ ଦେଶ ଓ ଓଡ୍ର-ଯୋଦ୍ଧାଙ୍କ ସମର୍ଥନ ସହ ମହାଭାରତ ଯୁଦ୍ଧ ଓ ତଦୋପରାନ୍ତ ଯୁଧିଷ୍ଠିରଙ୍କ ଠାରୁ ଆରମ୍ଭ ହେବାକୁ ଥିବା ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର ସାମାଜିକ ଶାସନ-ବ୍ୟବସ୍ଥାରେ ଭଗିନୀ ସୁଭଦ୍ରାଙ୍କ ଗର୍ଭଜାତ ସ୍ୱଳ୍ପାୟୁଷ ପୁତ୍ର-ଔରସ ରୁ ଜାତ ରାଜା ପରିକ୍ଷୀତ ଙ୍କ ଯୋଗଦାନ ରହିବା ବିଷୟ ଯୋଗଦ୍ରଷ୍ଟା ଶ୍ରୀକୃଷ୍ନ ଅନ୍ତର୍ଦୃଷ୍ଟିରେ ଦେଖି ଏହାକୁ ସୁନିୟନ୍ତ୍ରିତ କରିବାର ଯୋଜନା ଯୁଦ୍ଧର ଯଥେଷ୍ଟ ପୂର୍ବରୁ ତାଙ୍କ ମାନସିକ ବ୍ୟୁହରେ ରଚନା କରି ସାରିଥିଲେ। ସୁଭଦ୍ରା ଏହି ବ୍ୟୁହ ରଚନାର ମୁଖ୍ୟ ଅଙ୍ଗ ଥିଲେ। ଯୁଦ୍ଧରେ ନିହତ ହେବାକୁ ଥିବା ସୁଭଦ୍ରା ଓ ଅର୍ଜୁନଙ୍କ ପୁତ୍ର ବୀର ଅଭିମନ୍ୟୁଙ୍କ ଔରସ ଓ ଉତ୍ତରାଙ୍କ ଗର୍ଭରୁ ଜନ୍ମିତ ଶିଶୁ ଯେ ଭବିଷ୍ୟତରେ ଜ୍ଞାନ ବିସ୍ତରଣରେ ସହାୟକ ହେବ; ଯୁଦ୍ଧ ଉପରାନ୍ତ ପାଣ୍ଡବ ମାନଙ୍କ ଏକମାତ୍ର ଉତ୍ତରାଧିକାରୀ ପରିକ୍ଷୀତଙ୍କୁ ଓଡ୍ରରେ ନାଗବଂଶୀ ବିଦ୍ରୋହୀ ମାନଙ୍କ ଦ୍ୱାରା ହତ୍ୟା ପରେ ସୃଷ୍ଟି ହେବାକୁ ଥିବା ସାମାଜିକ ଓ ରାଜନୈତିକ ବିଶୃଙ୍ଖଳାକୁ ଦୃଢ ହସ୍ତରେ ଦମନ କରି ତାଙ୍କ ପୁତ୍ର ଜନ୍ମେଜୟ ଋଗବେଦ ସମୟରୁ ଗଡି ଆସୁଥିବା ନାଗବଂଶୀ ମାନଙ୍କ ଅହଂକାରର ପ୍ରଶମନ ଯେ କରିବେ ତା’ର ଆକଳନ ଭବିଷ୍ୟତ-ଦ୍ରଷ୍ଟା ଶ୍ରୀକୃଷ୍ଣ କରି ସାରିଥିଲେ।

ଏହାର ପ୍ରଥମ ପଦକ୍ଷେପ ଥିଲା ଦ୍ରୌପଦୀଙ୍କ ସ୍ୱୟଂବର। ତା ଦ୍ୱାରା ପାଞ୍ଚାଳ ସ୍ୱାଭାବିକ ରୂପେ ପାଣ୍ଡବଙ୍କ ପକ୍ଷରେ ରହିଥିଲା। ଦ୍ୱିତୀୟ ପଦକ୍ଷେପ ସୁଭଦ୍ରା ଅପହରଣ ଅତି ମହତ୍ତ୍ୱପୂର୍ଣ୍ଣ ତଥା ଦୀର୍ଘସୂତ୍ରୀ ଥିଲା। ଭାଗବତ ଦଶମ ସ୍କନ୍ଦ,  ଷଡ଼ଶୀତୀତମୋଧ୍ୟାୟଃ ୯ମ ଶ୍ଲୋକ କହୁଛନ୍ତି – ଦେବଦର୍ଶନ କରିବା ନିମନ୍ତେ ରଥରେ ବସି ସୁଭଦ୍ରା ଦ୍ଵାରକା ଦୁର୍ଗରୁ ବାହାରକୁ ଆସିଲା ବେଳେ ମହାରଥୀ ଅର୍ଜୁନ ଦେବକୀ ବସୁଦେବ ଓ ଶ୍ରୀକୃଷ୍ଣଙ୍କ ଅନୁମତି ନେଇ ସୁଭଦ୍ରାଙ୍କୁ ହରଣ କରି ବିବାହସୂତ୍ରରେ ବାନ୍ଧିଥିଲେ। (ମହତ୍ଯାଂ ଦେବଯାତ୍ରାୟାଂ ରଥସାଂ ଦୁର୍ଗନିର୍ଗତାମ୍‌। ଜହାରାନୁମତଃ ପିତ୍ରୋଃ କୃଷ୍ଣସ୍ଯ ଚ ମହାରଥଃ)। ସଂସ୍କୃତ ମହାଭାରତର ଆଦି ପର୍ବର ୨୨୧ ଅଧ୍ୟାୟରେ ଉଲ୍ଲେଖ ରହିଥିବା ତଥ୍ୟରେ ଦେବୀ ସୁଭଦ୍ରାଙ୍କ ବିବାହ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ, ଏହି ସୁଭଦ୍ରା ମୋର ଭଗିନୀ ତଥା ପିତା ବସୁଦେବଙ୍କର ସ୍ତ୍ରୀଙ୍କର ଝିଅ ଏବଂ ସାରଣଙ୍କ ସହୋଦର ଭଗିନୀ ଅଟେ (ମମୈଷା ଭଗିନୀ ପାର୍ଥ ସାରଣସ୍ୟ ସହୋଦରା। ସୁଭଦ୍ରା ନାମ ଭଦ୍ରଂ ତେ ପିତୁର୍ମେ ଦୟିତା ସୁତା।। ଯଦି ତେ ବର୍ତ୍ତତେ ବୁଦ୍ଧିର୍ବ୍ୱକ୍ଷ୍ୟାମି ପିତରଂ ସ୍ୱୟମ୍‌)। ଶ୍ରୀକୃଷ୍ଣଙ୍କ ପିତାଙ୍କ ପତ୍ନୀଙ୍କର କନ୍ୟା ଓ ସାରଣଙ୍କ ସହୋଦର ଭଗିନୀ କହିବା ତଥା ବସୁଦେବ ଓ ଦେବକୀଙ୍କ କନ୍ୟା ଓ ତାଙ୍କର ସହୋଦର ଭଗିନୀ ନ କହିବା ଦ୍ୱାରା ଏହା ପ୍ରମାଣିତ ହେଉଛି ଯେ ସୁଭଦ୍ରା ବସୁଦେବଙ୍କ କନ୍ୟା ଏବଂ ଶ୍ରୀକୃଷ୍ଣଙ୍କର ବୈମାତୃକ ଭଗିନୀ ଥିଲେ। କିଛି ସାହିତ୍ୟ ଙ୍କ ଅନୁସାରେ ବସୁଦେବଙ୍କର ୧୬ ପତ୍ନୀଙ୍କ ମଧ୍ୟରେ ସୁପ୍ରଭା ଅନ୍ୟତମା ଥିଲେ। ତଥା ସାରଣ ତାଙ୍କର ପୁଅ ଓ ସୁଭଦ୍ରା ଝିଅ ଥିଲେ। ସାରଣଙ୍କ ଯୁଦ୍ଧରେ ମୃତ୍ୟୁ ପରେ ମାତା ସୁପ୍ରଭା ଆତ୍ମତ୍ୟାଗ କରିଥିଲେ। ତତ୍ପରେ ସୁଭଦ୍ରାଙ୍କୁ ଜ୍ୟେଷ୍ଠ ମାତା ରୋହିଣୀ ପାଳନ କରିଥିଲେ। ବଳରାମ ରୋହିଣୀଙ୍କ ପୁତ୍ର ଥିଲେ। ସେ ଅର୍ଜୁନଙ୍କ ସହ ସୁଭଦ୍ରାଙ୍କ ବିବାହର ବିରୋଧୀ ଥିଲେ। ବରଂ ସେ ସୁଭଦ୍ରା ଦୁର୍ଯ୍ୟୋଧନଙ୍କୁ ବିବାହ କରିବା ପକ୍ଷରେ ଥିଲେ। ସେଥିପାଇଁ ଅର୍ଜୁନଙ୍କୁ କୃଷ୍ଣଙ୍କ ପରାମର୍ଶରେ ସୁଭଦ୍ରାଙ୍କ ହରଣ କରିବାକୁ ହୋଇଥିଲା।  

ତୃତୀୟ ପଦକ୍ଷେପ ପାଣ୍ଦବମାନଙ୍କ ଅଜ୍ଞାତବାସ ସମୟରେ ମତ୍ସ୍ୟଦେଶକୁ ଯାଇ ସେଠାରେ ନିଜର ପରାକ୍ରମ ଓ ଚାତୁର୍ଯ୍ୟର ପ୍ରଦର୍ଶନ ଦ୍ୱାରା ରାଜା ବିରାଟଙ୍କୁ କରାୟତ କରି ଅଭିମନ୍ୟୁଙ୍କ ସହ ଉତ୍ତରାଙ୍କ ବିବାହ କରିବା ଥିଲା। ମତ୍ସ୍ୟ ଦେଶ ଅଧୀନରେ ମହାଭାରତ ଯୁଦ୍ଧ ପୂର୍ବରୁ କଳିଙ୍ଗ, ଓଡ୍ର, ଉତ୍କଳ ଓ କୋଶଳ ଭିନ୍ନ ଭିନ୍ନ ରାଜ୍ୟ ଥିଲେ। ନାଗବଂଶୀ ଓ ଓଡ୍ର ଯୋଦ୍ଧା ମାନଙ୍କ ନାମ ମହାଭାରତ ଉଲ୍ଲେଖ କରୁଛନ୍ତି। କିନ୍ତୁ ରାମାୟଣ ଓଡ୍ର କିମ୍ବା ଓଡ୍ର ଯୋଦ୍ଧାଙ୍କ ନାଁ ଉଲ୍ଲେଖ କରୁ ନାହାଁନ୍ତି। ଇନ୍ଦ୍ରଦ୍ୟୁମ୍ନଙ୍କ ସହ ମଧୁପୁର (ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀ) ଆସି ଲବଣାସୁର ବଧରେ ଭାଗ ନେଇଥିବା ନାଗବଂଶୀମାନେ କାଳକ୍ରମେ କଳିଙ୍ଗର ହୋଇ ରହି ଯାଇଥିଲେ। ମହାଭାରତ ଯୁଦ୍ଧ ପୂର୍ବରୁ ସମ୍ଭବତଃ ଓଡ୍ର ଯୋଦ୍ଧାମାନଙ୍କୁ ନେଇ ହୋଇଥିବା କଳିଙ୍ଗ ଓ ଉତ୍କଳର ବିଭାଜନ ପରେ ଓଡ୍ର ଏକ ନୂତନ ରାଷ୍ତ୍ର ରୂପେ ଉଭା ହୋଇଥିଲା ତଥା ଓଡ୍ର ଓ ଉତ୍କଳ ନାଗବଂଶୀ କୀଚକଙ୍କ ଏକଶାସନାଧୀନ ଥିଲେ। କୀଚକ ମତ୍ସ୍ୟଦେଶ ରାଜା ବିରାଟଙ୍କ ମହାରାଣୀ ସୁଦେଷ୍ଣା ଙ୍କ ଭାଇ ଥିଲେ। ତାଙ୍କ ରାଜଧାନୀ ବିନ୍ଧ୍ୟତାବୀର (ବର୍ତ୍ତମାନର କେଉଁଝର ଜିଲ୍ଲା) କୁକ୍କୁଟ୍ଟବତୀରେ ଥିଲା। କିଚକେଶ୍ୱରୀ [ଖିଚିଂ (ରାଜସ୍ୱ ଗ୍ରାମ – ଖଣ୍ଡିଆଦର) ସନ୍ନିକଟ] ତାଙ୍କ ଇଷ୍ଟଦେବୀ ଥିଲେ। କୀଚକ ବଳରେ ବିରାଟ ରାଜା ଥିବା ପ୍ରବାଦ ଓଡ୍ରଯୋଦ୍ଧାଙ୍କ ଉପରେ ପର୍ଯ୍ୟବେଶିତ ଥିଲା। ତାଙ୍କର ସେହି ସମସ୍ତ ପ୍ରୟାସ ଫଳପ୍ରସୂ ହୋଇଥିଲା। ପାଞ୍ଚାଳ ଓ ମତ୍ସ୍ୟ ଦେଶ ନରେଶଙ୍କ ସହ ବିଶାଳ ଓ ପରାକ୍ରମୀ ଓଡ୍ର-ଯୋଦ୍ଧା ପାଣ୍ଡବଙ୍କ ସପକ୍ଷରେ ରହିଥିଲେ। ଯାଦବବଂଶର ଅକ୍ଷୌହଣୀ ସେନା କୌରବ ମାନଙ୍କ ପକ୍ଷରେ ରହିଥିଲେ ମଧ୍ୟ ଅର୍ଜୁନଙ୍କ ସାରଥୀ ରହିଥିବା ଶ୍ରୀକୃଷ୍ଣଙ୍କ ଯୋଗୁଁ ପାଣ୍ଡବଙ୍କ ପକ୍ଷ ବଳଶାଳୀ ରହି ପାରିଥିଲା। ଅନେକଙ୍କ ହତାହତ ପରେ ପାଣ୍ଡବମାନେ ଯୁଦ୍ଧ ରେ ଜୟ ଲାଭ କରିଥିଲେ। ତାଙ୍କର ଶରୀର ତ୍ୟାଗ କରିବାର ଅନେକ ବର୍ଷ ଉପରାନ୍ତେ ବ୍ୟାସଦେବଙ୍କ ରଚିତ ତାଙ୍କ ମୁଖ ନିସୃତ ଭଗବତ ଗୀତାର ନୀତିବାଣୀ ର ଆଶୀର୍ବାଦ ସୂଚକ ଗୁଞ୍ଜରଣ ସୁଗନ୍ଧରେ ଅର୍ଜୁନଙ୍କ ପ୍ରପୌତ୍ର ଜନ୍ମେଜୟ ନାଗବଂଶୀ ମାନଙ୍କ ଅହଙ୍କାରିତ ସାହଚର୍ଯ୍ୟ କବଳରୁ ସୋମବଂଶୀଙ୍କୁ ମୁକ୍ତ କରି ପାରିଥିଲେ। ଏହି ଘଟଣା କୀଚକଙ୍କ ସମୟରୁ ଅପେକ୍ଷିତ ଥିଲା।

ଇଣ୍ଡୋନେସିଆରୁ ମହାଭାରତ ଗ୍ରନ୍ଥର ଯେଉଁ କେତୋଟି ପ୍ରତିଲିପି ମିଳିଥିଲା, ସେଥି ମଧ୍ୟରୁ ମୂଷଳୀ ପର୍ବ ଅନ୍ୟତମ ଅଟେ। ମହାଭାରତ ଗ୍ରନ୍ଥ ଏକକାଳୀନ ବ୍ୟାସଦେବଙ୍କ ଦ୍ୱାରା ଲେଖା ଯାଇ ନ ଥିବା ଓ ମୂଳ ଜୟ ଗ୍ରନ୍ଥର ଅନେକ ଅଂଶ ନଷ୍ଟ ହୋଇ ଯାଇଥିବା ବିଷୟରେ ଐତିହାସିକ ମାନେ ମତ ଦିଅନ୍ତି। ଏହି ମତ ଅନେକ ସମ୍ଭାବନାକୁ ସୃଷ୍ଟି କରିଥାଏ। ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ୱ ଏଭଳି ଏକ ସମ୍ଭାବନା ଅଟନ୍ତି। ଦୈବୀ ନିର୍ଦ୍ଦେଶରେ ବଳରାମ ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ଥିଲେ ଏବଂ ତା’ର ୬୦୦୦ ବର୍ଷ ଉପରାନ୍ତ ମହାଭାରତ କାଳୀନ ବସୁଦେବ ଓ ରୋହିଣୀଙ୍କ ଗର୍ଭରୁ ଜାତ ବଳରାମ, ବସୁଦେବ ତଥା ଦେବକୀଙ୍କ ଗର୍ଭରୁ ଜାତ ଶ୍ରୀକୃଷ୍ଣଙ୍କ ବୈମାତୃକ ଭ୍ରାତା ଥିଲେ। କେବଳ ସୁଭଦ୍ରା ବ୍ୟତିକ୍ରମ ଥିଲେ। ଈଶ୍ୱରଙ୍କ ଲୀଳା ସ୍ୱରୂପ ଜ୍ଞାନୀମାନେ ଅବତାରବାଦର ପର୍ଯ୍ୟାୟରେ ଶ୍ରୀରାମଙ୍କ ଉପରାନ୍ତେ ମହାଭାରତ କାଳୀନ ଶ୍ରୀକୃଷ୍ଣଙ୍କୁ ମଣି ନେଇ ଶ୍ରୀ (ଲକ୍ଷ୍ମୀ) ଙ୍କ ନିବାସ ସ୍ଥଳୀ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ରେ ପୁରୁଷୋତ୍ତମଙ୍କ ସହ ତାଙ୍କ ସହୋଦର ଓ ସହୋଦରୀ ରୂପେ ବିବେଚିତ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଉପାସନା ପଦ୍ଧତ୍ତି ଆରମ୍ଭି ଥିଲେ। ଏହି ଉପାସନାର ପ୍ରଛଦପଟରେ ମୁଖ୍ୟ ଭୂମିକାରେ ଦେବୀ ସୁଭଦ୍ରାଙ୍କ ପରିଣୟ ରହିଥିଲା। ହସ୍ତିନାପୁରର ଦୃଷ୍ଟିହୀନ ଧୃତରାଷ୍ଟ୍ରଙ୍କ ନିମ୍ନଗାମୀ ମାନସିକ ଦ୍ୱାରା ତତ୍କାଳୀନ ସମାଜରେ ଉପୁଜି ଥିବା ପରିସ୍ଥିତିକୁ ଅନ୍ତର୍ଦୃଷ୍ଟିରେ କଳନା କରି ତା’ର ସମ୍ମୁଖୀନ ହେବା ନିମନ୍ତେ ସୃଷ୍ଟି ବ୍ୟୁହ ପ୍ରସ୍ତୁତକାରୀଙ୍କୁ ଅବତାର-ପୁରୁଷ ରୂପେ ଚିହ୍ନଟ କରିବା ସମୟର ସାମାଜିକ-ପରିବେଶର ସମ୍ୟକ ଆଲୋଚନା ଆବଶ୍ୟକ ଅଟେ। ଜ୍ଞାନୀ ପଣ୍ଡିତ ମାନେ ଋଗ ବେଦ କାଳୀନ କୃଷ୍ଣ ଓ ଶ୍ରୀକୃଷ୍ଣଙ୍କ ଜୀବନୀ କୁ ଏକାକାର କରି ତୋଳି ପ୍ରତ୍ୟକ୍ଷ ରୂପେ ପରମ ଜ୍ଞାନୀ, ମହାନ ଯୋଗୀ, ଶ୍ରେଷ୍ଠ ରାଜନୀତିଜ୍ଞ ଓ ରାଷ୍ଟ୍ରବାଦୀ ଶ୍ରୀକୃଷ୍ଣଙ୍କୁ ପରମାତ୍ମାଙ୍କ ଅବତାର ରୂପେ ସଜ୍ଞାପିତ କରି ତୋଳି ପାରିଥିଲେ। ଏହି ପ୍ରକ୍ରିୟା ରାଜା ପରିକ୍ଷୀତଙ୍କ ସମୟରେ ଆରମ୍ଭ ହୋଇଥିଲା ବେଳେ କିଛି ଜ୍ଞାନୀ ପଣ୍ଡିତଙ୍କ ବିରୋଧ ଅପ୍ରତ୍ୟକ୍ଷ ରୂପେ ଓଡ୍ର ଯୋଦ୍ଧା ମାନଙ୍କ ଭିତରେ ଦେଖା ଦେଇଥିଲା। କୀଚକଙ୍କ ମୃତ୍ୟୁ ପରେ ନାଗବଂଶୀ ଯୋଦ୍ଧା ମାନଙ୍କ ମଧ୍ୟରେ ଥିବା ସ୍ୱାଭାବିକ ଅସନ୍ତୋଷ ସେଥିରେ ଅଗ୍ନି ସଂଯୋଗ କରିଥିଲା। ପରିକ୍ଷୀତ ଦୃଢ ହସ୍ତରେ ସେହି ବିଦ୍ରୋହ ଦମନ କରିଥିବା ସତ୍ତ୍ୱେ ସେମାନଙ୍କ ଭିତରେ ଥିବା ଅଗ୍ନି ନିର୍ବାପିତ ହୋଇ ନ ଥିଲା। ଦିନେ ରାତ୍ରିକାଳେ ବିରାଟଗଡରେ ତାଙ୍କ ଶୟନ ଅବସ୍ଥାରେ ତାଙ୍କୁ ହତ୍ୟା କରା ଯାଇଥିଲା। ହସ୍ତିନାପୁରରେ ଥିବା ଯୁବରାଜ ଜନ୍ମେଜୟ ତତ୍‌କ୍ଷଣାତ୍ ଉତ୍କଳରେ ପହଞ୍ଚି ଅନ୍ୟ ଓଡ୍ର ଯୋଦ୍ଧାଙ୍କ ସାହାଯ୍ୟରେ ସମ୍ପୂର୍ଣ୍ଣ ନାଗବଂଶୀଙ୍କୁ ଓଡ୍ର ଉତ୍କଳ ସୀମାରୁ ବିତାଡିତ କରିଥିଲେ। ଫଳରେ ଅସନ୍ତୋଷ ଥିବା ପଣ୍ଡିତ ମାନେ ଦୃଶ୍ୟପଟ୍ଟଳରୁ ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଥିଲେ। ସେହି ଘଟଣାକୁ ମାଦଳାପାଞ୍ଜି ଲେଖିଲେ – ଏ ରାଜାଙ୍କୁ ବ୍ରାହ୍ମଣର ଶାପେ ତକ୍ଷକ ଡଂଶିଲ। … ଏ ରାଜା ବାପାଙ୍କ ଛଳେ ସର୍ପଯଜ୍ଞ କଲେ। ତକ୍ଷକର ବହୁତ ବଂଶ ନାଶ କଲେ।

ବିରଜାକ୍ଷେତ୍ରରେ ରାଜଧାନୀ ପ୍ରତିଷ୍ଠା ପରେ ମାତା ବିରଜାଙ୍କ ଆଶୀର୍ବାଦରେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ସୋମବଂଶୀ ପରିକ୍ଷୀତ (ଖ୍ରୀଷ୍ଟପୂର୍ବ ୩୧୬୨-୩୧୦୨) ଙ୍କ ପୁତ୍ର ଜନ୍ମେଜୟ ଶ୍ରୀକ୍ଷେତ୍ରରେ ଉପାସିତ ଲକ୍ଷ୍ମୀପତି ବିଷ୍ଣୁଙ୍କ ଅବତାର ରୂପେ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଉପାସନା ପଦ୍ଧତ୍ତି ତ୍ରିମୂର୍ତ୍ତି ଙ୍କ ସ୍ୱରୂପରେ ପରିବର୍ତ୍ତିତ କରିଥିଲେ। ଏହି ଘଟଣାର ବିଧିପୂର୍ବକ ଲିପିବଦ୍ଧ ନ ହେବା ଏକ ବିଡମ୍ବନା ଥିଲା। ତ୍ରିମୂର୍ତ୍ତି ତତ୍ତ୍ୱ ସଦୃଶ୍ୟ ଭଗବତ ଗୀତାବାଣୀ ତତ୍କାଳୀନ ସମାଜ ନିମନ୍ତେ ଜ୍ଞାନର ବିସ୍ତରଣ ପକ୍ଷ ଥିଲା। ମାର୍ଗଶୀର ଶୁକ୍ଳ ଏକାଦଶୀ ରୂପେ ମାନ୍ୟତା ଦିଆ ଯାଇଥିବା ଭଗବତ ଗୀତା ଙ୍କ ଜନ୍ମ ତିଥି ବାସ୍ତବରେ ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣ ତାଙ୍କ ସଖା ଫାଲଗୁନି ଅର୍ଜୁନଙ୍କୁ ଦେଇଥିବା ମାନବୀୟ ଜୀବନ-ଯାପନ ସମ୍ବଳିତ ଉପଦେଶାତ୍ମକ ଉଦ୍ବୋଧନ ଅନୁଗୀତା ର ଜନ୍ମ ତିଥି ଥିଲା। ଅନୁଗୀତାର ୮୦୦୦ ବର୍ଷରୁ ଉର୍ଦ୍ଧ୍ୱ ଯାତ୍ରା ଭଗବତ ଗୀତାର ସୃଷ୍ଟି ପରେ ସ୍ଥବିର ହୋଇ ଯାଇଥିଲା। ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣ  ସ୍ଥାନରେ ମହାଭାରତ କାଳୀନ ଶ୍ରୀକୃଷ୍ଣ ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ଓ ଭଗିନୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ବିଗ୍ରହ ରୂପେ ସ୍ଥାନ ପାଇବାର ସମସ୍ତ ପଥ ପ୍ରସ୍ତୁତ ହୋଇ ସାରିଥିଲା। ତ୍ରିମୂର୍ତ୍ତି ତତ୍ତ୍ୱ ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ୱ ର ପ୍ରଥମ ପର୍ଯ୍ୟାୟ ଅବସ୍ଥା ଥିଲା।

ତନ୍ମଧ୍ୟରେ ତତ୍ତ୍ୱଜ୍ଞାନୀ ମାନେ ଶ୍ୱେତାଶ୍ୱତର ଉପନିଷଦର ଦିବ୍ୟ ଦର୍ଶନ – ଅପାଣିପାଦୋ ଜଵନୋ ଗ୍ରହୀତା ପଶ୍ୟତୁଅଚକ୍ଷୁଃ ସ ଶୃଣୋତ୍ୟକର୍ଣଃ। ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା ତମାହୁରଗ୍ର୍ୟଂ ପୁରୁଷଂ ମହାନ୍ତମ୍।। (/୧୯) ଅର୍ଥାତ୍ ସେହି ମହାନ ପରମପୁରୁଷଙ୍କ ହସ୍ତପଦ ନାହିଁ ଅଥଚ ସେ ସମସ୍ତଙ୍କୁ ଧାରଣ କରିଛନ୍ତି। ତାଙ୍କ (ଚର୍ମ) ଚକ୍ଷୁ ନାହିଁ, ତଥାପି ସେ ସବୁକିଛି ଦେଖି ପାରନ୍ତି। ତାଙ୍କ (ଚର୍ମ) କର୍ଣ୍ଣ ନାହିଁ, ତଥାପି ସେ ସବୁକିଛି ଶୁଣି ପାରନ୍ତି। ସେ ସବୁଠାରେ ରହିଥାନ୍ତି, କିନ୍ତୁ ତାଙ୍କୁ କେହି ଜାଣି ପାରନ୍ତି ନାହିଁ –  ସଗୁଣ ବ୍ରହ୍ମ ମଧ୍ୟରେ ନିର୍ଗୁଣଙ୍କ ଉପାସନା – ର ସନ୍ଧାନ ଏକ ନୂତନ ଦିଗ ପ୍ରଦର୍ଶିତ କରିଥିଲା। ମହାପ୍ରଭୁଙ୍କର ଏହି ଅପାଣି-ପାଦୋ-ଦାରୁଭୂତ ଅବସ୍ଥା ଋଗ ବେଦ ପୁରୁଷସୁକ୍ତ (୧୦..)ର – ପୁରୁଷ ଏବେଦଂ ସର୍ବଂ ୟଦ୍ଭୂତଂ ଯାଂଚ ଭବ୍ୟମ୍। ଉତାମୃତତ୍ବସ୍ୟେଶାନୋ ୟଦନ୍ନେନାତିରୋହତି।। ଅର୍ଥାତ୍‌ ସୃଷ୍ଟିର ପ୍ରତ୍ୟେକ ପଦାର୍ଥର ସୂକ୍ଷ୍ମତନ୍ତୁ ପରମାତ୍ମା (ଅକ୍ଷର ପୁରୁଷ) ଙ୍କ ଦ୍ୱାରା ବୁଣା ଯାଇଛି ଯାହାଙ୍କର ଖାଦ୍ୟ (ସମର୍ପିତେ ଉଦରସ୍ଥ କରିଥିବା ଅମରତ୍ୱର ସାର) ହୋଇ ଜଣେ ଏହି ସମ୍ପୂର୍ଣ୍ଣ ବିଶ୍ୱଜଗତକୁ ଅତିକ୍ରମ କରି ଅମର ହୋଇଥାଏ – ତତ୍ତ୍ୱର ପୁଷ୍ଟି କରିଥାଏ। ଈଶ୍ୱରଙ୍କ ନିର୍ଗୁଣ-ନିରାକାର-ବ୍ରହ୍ମ ଙ୍କୁ ସଗୁଣ-ସାକାର-ବିଗ୍ରହ ଙ୍କ ଉପାସନା ଦ୍ୱାରା ହୃଦୟଙ୍ଗମ କରିବା ଏହି ପ୍ରକ୍ରିୟାର ଏକ ଅଂଶ ଅଟେ। ମୈତ୍ରାୟଣୀ ଉପନିଷଦରେ ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣ ଓ ହିରଣ୍ୟକଶିପୁକୁଙ୍କୁ ବଦ୍ଧ କରିଥିବା ନରସିଂହ ରୂପ ଧାରିତ ଋଷି ବାମଦେବ ଙ୍କୁ ବିଷ୍ଣୁଙ୍କ ଅବତାର ଜନ୍ମ ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ଏହାର କିଛି ବର୍ଷ ପରେ ସୋମବଂଶୀ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଜରା ଶବରଙ୍କ ଦ୍ୱାରା ପୂଜିତ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡର ବିଧିପୂର୍ବକ ପୂଜା କରିବା ଶୈଳୀ ମାଧ୍ୟମରେ ମଧୁପୁର (ଆଧୁନିକ ପୁରୀ) ଠାରେ ମନ୍ଦିର ନିର୍ମାଣ କରି ସ୍ଥାପିତ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଭଗବତ ଗୀତାଙ୍କ ଭାଷ୍ୟାକାର ଆଦି ଶଙ୍କରଙ୍କ ସମୟ (ଖ୍ରୀଷ୍ଟପୂର୍ବ ୫୬୮-୫୩୬) ରେ ତ୍ରିମୂର୍ତ୍ତି ସହ ସେମାନଙ୍କ ଲୀଳା ର ସାକ୍ଷ୍ୟମୂର୍ତ୍ତି ରୂପେ ଉପସ୍ଥିତ ସୁଦର୍ଶନଙ୍କ ସମ୍ଭରୂପୀ କାଷ୍ଠ ବିଗ୍ରହଙ୍କ ଉପାସନାର ଆରମ୍ଭ କରିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଉପାସନା ତତ୍ତ୍ୱ ଅଟେ। ଶ୍ରୀଶଙ୍କର ତାଙ୍କର ସ୍ୱଳ୍ପକାଳୀନ ଜୀବନ ଯାତ୍ରା ମଧ୍ୟରେ ଭାରତବର୍ଷରେ ଧର୍ମର ପ୍ରତିଷ୍ଠା ନିମନ୍ତେ ଚାଓଟି ଦିଗରେ ଚାରି ଧାମ ପ୍ରତିଷ୍ଠା କରିଥିଲେ। ତାଙ୍କର ୨୪ ବର୍ଷ ବୟସରେ (ଖ୍ରୀଷ୍ଟପୂର୍ବ ୫୪୪) ସେ ପୁରୀରେ ପଦାର୍ପଣ କରି ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ତ୍ରିମୂର୍ତ୍ତିଙ୍କ କାଷ୍ଠମୂର୍ତ୍ତିର ପ୍ରତିଷ୍ଠା ଖ୍ରୀଷ୍ଟପୂର୍ବ ୨୩୨୧ ରେ ସୋମବଂଶୀ ଭୋଜଦେବଙ୍କ ସମୟରେ ହୋଇ ସାରିଥିଲା। ଶ୍ରୀମନ୍ଦିର ସର୍ବାଗ୍ରେ ଆଲୋକସ୍ତମ୍ଭ ସଦୃଶ୍ୟ ନୀଳଚକ୍ରରେ ଉଡ୍ଡୀୟମାନ ଗୈରିକ ସନାତନୀ ଧ୍ୱଜାର ବାହକ ତ୍ରିମୂର୍ତ୍ତିଙ୍କ ଲୀଳା ଶ୍ରବଣାକାରୀ ସୁଦର୍ଶନ ଶ୍ରୀକ୍ଷେତ୍ର-ତତ୍ତ୍ୱଧାରକ ଅଟନ୍ତି। ନୀଳାଦ୍ରୀ ମହୋଦୟ ଓ ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡରେ ବର୍ଣ୍ଣିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତତ୍ତ୍ୱ କୁ ବାସ୍ତବିକ ତଥ୍ୟ ଠାରୁ ଭିନ୍ନ ଅନେକ ଘଟଣାକୁ ଅନ୍ତର୍ଭୁକ୍ତ କରିବା ପଶ୍ଚାଦ୍‌ଦେଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଈଶ୍ୱରୀୟ ପ୍ରଦର୍ଶନ କରି ତୋଳିବା ଉଦ୍ଦେଶ୍ୟ ନିହିତ ଥିଲା ଯାହା କାଳକ୍ରମେ ସ୍ମୃତି ସାହିତ୍ୟରୁ ବିଲୁପ୍ତ ହୋଇଥିଲା। ପୁରାଣମାନେ ଦେବୀ ସୁଭଦ୍ରାଙ୍କୁ ବ୍ରହ୍ମାଙ୍କ ଅବତାର ରୂପେ ଚିତ୍ରଣ କରିଛନ୍ତି। ଭାଗବତ ଗ୍ରନ୍ଥ ଆଧୁନିକୀକରଣ ସମୟରେ ସୁଭଦ୍ରାଙ୍କ ପରିଚୟ ଚିହ୍ନଟ ଭ୍ରମରେ ଉଲ୍ଲେଖ କରି ନାହାଁନ୍ତି। ତା’ର କାରଣ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀର ବିକ୍ରମାଦିତ୍ୟ ଙ୍କ ନବରତ୍ନ ମଧ୍ୟରେ ଶ୍ରେଷ୍ଠ ବରାହମିହିର ତାଙ୍କ ବୂହଦ୍‌ ସଂହିତାରେ ଏକାନଂଶା ଦେବୀଙ୍କୁ ବ୍ରହ୍ମ ଓ ଜୀବ ମଧ୍ୟରେ ମାୟା ରହିଥିବା ଦର୍ଶାଇ ଉପସ୍ଥାପନ କରିଥିଲେ – ଏକାନଂଶା କାର୍ଯ୍ୟା ଦେବୀ ବଳଦେବ କୃଷ୍ଣୟୋମଧ୍ୟେ କଟି ସଂସ୍ଥିତ-ବାମକର, ସରୋଦମିତରେଣ ଚୋଦ୍‌ବହତୀ। ତାକୁ ଏତିହାସିକ ପ୍ରଭାତ ମୁଖାର୍ଜୀ ସୁଭଦ୍ରାଙ୍କ ରୂପେ ପୁଷ୍ଟି କଲେ। ଏହା ଐତିହାସିକ ଓ ପୌରାଣିକ ବିଡମ୍ବନା ଥିଲା। ବାସ୍ତବରେ ଏକାନଂଶା ଦେବୀଙ୍କୁ ଆଦିମାତା ରୂପେ ବୃଷ୍ଣି ବଂଶଜମାନେ ଦ୍ୱାରାବତୀ ନଗରରେ ଋଗବେଦ କାଳରେ ଉପାସନା କରୁଥିଲେ। ତାଙ୍କୁ ବରାହମିହିର ଦେବୀ ସୁଭଦ୍ରାଙ୍କ ରୂପରେ ଉପସ୍ଥାପିତ କରିଥିଲେ। ଐତିହାସିକମାନେ ମହାଭାରତ ଉପରାନ୍ତ ସମୟରେ ବୃଷ୍ଣି ବଂଶଜମାନେ ଶାସନ କରୁଥିବା ମଥୁରା ଆଦି କ୍ଷେତ୍ରରୁ ପାଇଥିବା ମୁଦ୍ରାରେ ଥିବା ଦେବୀଙ୍କୁ ଏକାନଂଶା ଦେବୀ ରୂପେ ଚିହ୍ନଟ କରିଛନ୍ତି।

ପୁରାଣକାର ମାନେ ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣ ଓ ମହାଭାରତକାଳୀନ ଶ୍ରୀକୃଷ୍ଣଙ୍କୁ ଏକ କରି ଲେଖିଲେ। ସେଭଳି ଐତିହାସିକ ମାନେ ସେହି ପୁରାଣରୁ ମହାଭାରତକାଳୀନ ଜନ୍ମେଜୟଙ୍କ ପିତା ପରିକ୍ଷୀତ ଙ୍କୁ ଋଗବେଦକାଳୀନ ଜନ୍ମେଜୟ ପୁତ୍ର ପରିକ୍ଷୀତ ଜ୍ଞାନରେ ମାଦଳାପାଞ୍ଜିଙ୍କ ଲେଖାକୁ ଭୃକ୍ଷେପ କରି ନ ଥିଲେ। ତକ୍ଷକ ନାଗ କଶ୍ୟପ ଋଷିଙ୍କ ବଂଶଜ ଥିଲେ। ତାଙ୍କର ସମସ୍ତ ବଂଶଜଙ୍କୁ ପୁରାଣକାର ମାନେ ତକ୍ଷକ ଲେଖୁଥିଲେ। ମାଦଳାପାଞ୍ଜି ମଧ୍ୟ ତାହା ଲେଖିଲେ। ପ୍ରାକ୍‌ ଋଗବେଦକାଳୀନ ଭୃଗୁ କନ୍ୟା ଲକ୍ଷ୍ମୀ(ଶ୍ରୀ) ଙ୍କ ସ୍ୱାମୀ ବିଷ୍ଣୁଙ୍କ ପୂର୍ବରୁ, ଋଗବେଦକାଳୀନ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ପୂର୍ବରୁ, ମହାଭାରତ କାଳୀନ ଶ୍ରୀକୃଷ୍ଣଙ୍କ ପୂର୍ବରୁ ମହାପ୍ରଭୁ ଜଗନ୍ନାଥ ବିଦ୍ୟମାନ ଥିଲେ। ଚତୁର୍ଦ୍ଧା ମୁର୍ତ୍ତି ଉପାସନା ପରେ ବି ମହାପ୍ରଭୁ ରହିବେ। ସୃଷ୍ତି ବିଲୟ ପରେ ବି ମହାପ୍ରଭୁ ରହିବେ। ବିଲୟ ଶେଷରେ ବଟପତ୍ରରେ ଶାୟିତ ଶିଶୁ ଶରୀରରେ ଆବିର୍ଭାବି ବେଦାନ୍ତ-ଦୀକ୍ଷା-ଦର୍ଶନ ଦେବେ। ଏହା ହିଁ ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ୱ ଅଟେ। ଏକ ଈଶ୍ୱର, ତାଙ୍କ ପ୍ରତିରୂପ ବା ଅବତାର, ତ୍ରିମୂର୍ତ୍ତି ଆକାର, ଚତୁର୍ଦ୍ଧା ମୂର୍ତ୍ତିର ଆକାର ପ୍ରକାରେ ନିର୍ଗୁଣ, ନିରାକାର ବ୍ରହ୍ମଙ୍କ ସଗୁଣ, ସାକାର ରୂପେ ଉପାସନା ପଦ୍ଧତ୍ତିର ପ୍ରଥମ ପ୍ରଚଳନ ପୂର୍ବର ମହୋଦଧୀ ତଟରେ କରାଯିବାର ନିହିତ ଉଦ୍ଦେଶ୍ୟ ପଶ୍ଚାତଦେଶରେ ସମୟ ଅନୁସାରେ ଜଳରୁ ଭୂମିର ସୃଷ୍ଟି ସମ୍ବନ୍ଧିତ ବ୍ୟାଖ୍ୟା ଥିଲା। ଧବଳଗିରି, ନୀଳଶୈଳରେ ସ୍ଥିତ ବିଶ୍ୱର ସର୍ବପ୍ରାଚୀନ ତଥା ବୃହତ୍ତମ ଶାଳଗ୍ରାମ ଏହାର କାରଣ ହୋଇପାରେ।

୭୫ ସହସ୍ର ବର୍ଷ ତଳେ ସୁମାତ୍ରା (ଇଣ୍ଡୋନେସିଆ)ର ବିଶାଳ ଆଗ୍ନେୟଗିରି ର ଲେଲିହାନ ବହ୍ନିରେ ଭାରତବର୍ଷର ଦକ୍ଷିଣ ପୂର୍ବ ଦେଶ ଇଣ୍ଡୋନେସିଆ ର ଜନଜୀବନ, ବୃକ୍ଷଲତା ଓ ପଶୁପକ୍ଷୀଙ୍କ ସମୂଳେ ଧ୍ୱଂସ ପାଇବାର ବିକଟାଳ ଦୃଶ୍ୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷରେ ସେଥିରୁ ବିଛାଡି ହୋଇ ପଡିଥିବା ଆଣ୍ଠୁଏ ବହଳର ଭସ୍ମ ସମୁହର ଏକମାତ୍ର ନିଷ୍ଠୁର ଜୀବନ୍ତ ସାକ୍ଷୀ ଶାଳଗ୍ରାମ ପୁରୁଷୋତ୍ତମ ଜଗନ୍ନାଥଙ୍କ ପରେ ସବୁଠାରୁ ପ୍ରାଚୀନତମ ଅଟନ୍ତି। ନୀଳଶୈଳର ପ୍ରାଚୀନ ସ୍ୱରୂପ ଆଜି ଭଳି ନ ଥିଲା। ନୀଳଶୈଳ ର ପ୍ରାଚୀନ ନାମ ଥିଲା ଧବଳଗିରି। କାରଣ ତାହା ଅଗରୁ ବୃକ୍ଷରେ ଆଚ୍ଚାଦିତ ହୋଇ ଥିଲା। ଅଗରୁ ବୃକ୍ଷର ଫୁଲର ରଙ୍ଗ ଶ୍ୱେତ ଅଟେ। ଦୂରରୁ ପର୍ବତ ଟି ଶ୍ୱେତରଙ୍ଗରେ ଘୋଡେଇ ଥିଲା ଭଳି ଦୃଶ୍ୟମାନ ହେଉଥିଲା। ସୁଉଚ୍ଚ ହିମଶୃଙ୍ଗଙ୍କ ଗିରି ଗହ୍ୱରରୁ ବାହାରି ଆସି ଧବଳଗିରି ସମ୍ମୁଖସ୍ଥ ୭୦୦ ମିଟର ତଳର ରତ୍ନଗର୍ଭା ମହୋଦଧୀରେ ପତିତାଭିମୁଖୀ ପ୍ରାଚୀନ ସରସ୍ୱତୀ ଙ୍କ ଭୂଗର୍ଭେ ଅଦୃଶ୍ୟ ପୂର୍ବରୁ ତଥା ହିମଶୃଙ୍ଗଙ୍କ ପାଦଦେଶରେ ୧୪ ସହସ୍ର ବର୍ଷ ପୂର୍ବର ବିରାଟ ଭୂମିକମ୍ପ ତଥା ହିମସ୍ଫଳନରୁ ସୃଷ୍ଟି ସତୀସର ହ୍ରଦରୁ ଋଷି କଶ୍ୟପଙ୍କ ଦାୟାଦଙ୍କ ଦ୍ୱାରା କାଶ୍ମୀରରେ ବସତି ଉପଯୋଗୀ ଜନଜୀବନ ନିମନ୍ତେ ବିତସ୍ତା-ଗତିପଥର ସୃଷ୍ଟି ପୂର୍ବରୁ, ରତ୍ନଗର୍ଭା ଠାରୁ ଅନେକ ଉଚ୍ଚରେ ତାଙ୍କ ନିବାସସ୍ଥଳୀ ଧବଳଗିରିର ଶୃଙ୍ଗ ପ୍ରଦେଶରେ ରହି ଆସିଛି। ଧବଳଗିରିର ପରିପାର୍ଶ୍ୱ ଅଗରୁ ବୃକ୍ଷ, ତୁଳସୀ, ଦୟଣା ଓ ସ୍ୱର୍ଣ୍ଣଦୂର୍ବ ଭଳି ଗୁଳ୍ମ-ଲତାରେ ପରିପୂର୍ଣ୍ଣ ଥିଲେ। ନିରନ୍ତର ବର୍ଷା, ହିମଶୃଙ୍ଗ ସ୍ଫଳନ ଫଳରେ ଆର୍ଯ୍ୟବର୍ତ୍ତର ତିନିକୂଳ ସମୁଦ୍ର କେତେ ଯେ ଭୂମି-କୂଳ ଖାଇଛି, ତା ଗର୍ଭରେ ପ୍ରାଚୀ ସରସ୍ୱତୀ ନଦୀ ଭଳି କେତେ ଭୂମିଖଣ୍ଡର ଇତିହାସ ଯେ ଲୁଚି ଯାଇଛି, ତାର ଟିକିନିଖି ଖବର ତାଙ୍କ ନିକଟରେ ରହିଛି। ତାଙ୍କ ପୃଷ୍ଠଦେଶେ ଅଚଳ-ଏକପଦ ସୂର୍ଯ୍ୟ ଙ୍କ ସୁକ୍ତ (ଋଗବେଦ ୧୦.୬୬.୦୯) ବାସୁକ୍ର ବାସୁବର୍ଣ୍ଣଙ୍କ ଦ୍ୱାରା ପ୍ରାଚୀନ ସରସ୍ୱତୀ ନଦୀ ତଟରେ ରଚନା କରା ଯାଇଥିଲା। ଅଜ-ଏକପାତ/ ଏକପାଦ ସମ ପୁରୁଷୋତ୍ତମ ଜଗନ୍ନାଥଙ୍କ ପ୍ରସ୍ତର ପ୍ରତିମାର ସ୍ନାନୋତ୍ସବ ପୂର୍ବକ ପ୍ରତିଷ୍ଠା ଉତ୍ସବ ଜ୍ୟେଷ୍ଠ ମାସର ପୂର୍ଣ୍ଣମୀ ତିଥି ପାଳନ ଅବସରରେ ଆର୍ଯ୍ୟାବର୍ତ୍ତର ପୂର୍ବାଞ୍ଚଳ ଚଳଚଞ୍ଚଳ ଥିଲା। ସୂର୍ଯ୍ୟଙ୍କର ଦକ୍ଷିଣାୟନ ତିଥିକୁ ମନେ ରଖିବା ପାଇଁ ବ୍ରହ୍ମବନରେ ସ୍ଥିତ ଧବଳଗିରି ରେ ନୀଳମାଧବ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରା ଯାଉଥିଲା। ସେଦିନ ସମୟର ଅଶ୍ୱକୁ ପ୍ରତିହତ କରା ଯାଇଥିଲା। ପୁରା ଆର୍ଯ୍ୟବର୍ତ୍ତରେ ବିଛାଡି ହୋଇ ପଡିଥିବା ଈକ୍ଷ୍ୱାକୁ ଓ ସୋମ ବଂଶୀୟ ରାଜା ମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ଅଶ୍ୱମେଧ ଯଜ୍ଞର ପୁରୋଧା ନର୍ମଦା ନଦୀ କୂଳର ମଧ୍ୟଦେଶର ନରେଶ ରାଜା ଇନ୍ଦ୍ରଦ୍ୟୁମ୍ନ ସମସ୍ତ କାର୍ଯ୍ୟ ନିଜେ ତଦାରଖ କରୁ ଥିଲେ। ଋଷି ଅଗ୍ନିଙ୍କର ପୁତ୍ର କୁମାର ଆଗ୍ନେୟ (ଋ ବେ ୭ମ ମଣ୍ଡଳ ୧୦୧ ସୁକ୍ତର ରଚୟିତା) ଯଜ୍ଞର ପୁରୋହିତ ଥିଲେ। ସେ ମଧ୍ୟ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ସମସାମୟିକ ଥିଲେ।

ଋଗବେଦୀ ଋଷି ବାସୁକ୍ର ବାସୁବର୍ଣ୍ଣୋଙ୍କ ସହ ମଧ୍ୟଦେଶୀୟ ସୋମବଂଶୀୟ ଇନ୍ଦ୍ରଦ୍ୟୁମ୍ନ ଅଶ୍ୱରେ ଚଢି ଯେତେବେଳେ ତାଙ୍କ ନିବାସ ସ୍ଥଳକୁ ଆସିଥିଲେ, ଧବଳଗିରି ଚତୁର୍ପାର୍ଶ୍ୱ ପରିବେଶରେ ବସବାସ କରୁଥିବା ଜନଜାତି ମାନଙ୍କ ରାଜା ବିଶ୍ୱାବସୁ ବି ଥିଲେ। ବିଶାଳ ତାଙ୍କ ଶରୀର, ଗଜ ସଦୃଶ ତାଙ୍କ ଅଶ୍ୱ ର ଶରୀରରେ ଶାଳଗ୍ରାମଙ୍କ ଉପରି ଭାଗରେ ଥିବା ବିଶାଳକାୟ ଅଗରୁ ବୃକ୍ଷ କୋଟରରେ ତାଙ୍କ ପରିବାର ଉପାସନା କରୁଥିବା ନୀଳମାଧବ ମୂର୍ତ୍ତି ଙ୍କ ଦର୍ଶନ ଉଦ୍ଦେଶ୍ୟରେ ସେମାନେ ଆସିଥିଲେ। ବାସୁକ୍ର ପୂର୍ବରୁ ବିଶ୍ୱାବସୁଙ୍କ ସହ ମାଧବଙ୍କ ଦର୍ଶନ ଉଦ୍ଦେଶ୍ୟରେ ଆସି ଶାଳଗ୍ରାମଙ୍କୁ ଚିହ୍ନଟ କରି ସାରିଥିଲେ। ପ୍ରଥମ ଦୃଷ୍ଟିଭୁକ୍ତ ଅନ୍ତର୍ଦୃଷ୍ଟି ରେ ସେ ତାଙ୍କ ଶିଳାସ୍ତରର ପ୍ରାଚୀନତା ର ସମୟ ଗଣି ପାରିଥିଲେ। ସୂର୍ଯ୍ୟରୂପୀ ପରମାତ୍ମାଙ୍କ ଅନନ୍ୟ ରୂପ ରୂପେ ଶାଳଗ୍ରାମଙ୍କ ଶୀଳାସ୍ତରର ପ୍ରାଚୀନତା ଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ କ୍ଲାନ୍ତି ମେଣ୍ଟାଇବା ନିମନ୍ତେ ସାଧାରଣ ପ୍ରସ୍ତର ବିଚାରି ତାଙ୍କ ଉପରେ ଉପବେଶନ ନିମନ୍ତେ ଉଦ୍ୟମ କରନ୍ତେ, ସେ ତତକ୍ଷଣାତ୍‌ ବାରଣ କଲେ – ହେ ରାଜା! ଇଏ ଶାଳଗ୍ରାମ। ସାକ୍ଷାତ ନାରାୟଣ, ମାଧବ ପୁରୁଷୋତ୍ତମ ଅଟନ୍ତି।

ପ୍ରସ୍ତର ରୂପୀ ଶାଳଗ୍ରାମ ଯେ ସନାତନ, ତାର ଧାରଣା ଦେଇଥିଲେ ଋଷି ବାସୁକ୍ର। ସନାତନତ୍ୱର ସଂସ୍କାର ବ୍ରହ୍ମଜ୍ଞାନୀ ଜଡ ଭରତ ବନାମ ଗାଲମାଧବ ଙ୍କ ପୁତ୍ର ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରକ୍ତରେ କୁନ୍ଦି କୁନ୍ଦି ଭରି ରହିଥିଲା। ସେଦିନ ଇନ୍ଦ୍ରଦ୍ୟୁମ୍ନ ବିଶ୍ୱର ସର୍ବଶ୍ରେଷ୍ଠ ଚିରଞ୍ଜିବୀଙ୍କ ଦର୍ଶନ କରିଥିଲେ। ଜମ୍ବୁଦ୍ୱୀପର ପୂର୍ବଭାଗ ଦେବପ୍ରସ୍ଥରେ ପୁରୁଷୋତ୍ତମଙ୍କ ସନ୍ଧାନ ଇନ୍ଦ୍ରଦ୍ୟୁମ୍ନ ପାଇ ସାରିଥିଲେ। ସରଳବିଶ୍ୱାସୀ ଜନଜାତିମାନେ ସେମାନଙ୍କ ଅଜ୍ଞାତସାରରେ ନାରାୟଣ ପ୍ରତିମାଙ୍କ ଆଳରେ ସନାତନଙ୍କ ଉପାସନା ପଦ୍ଧତି ଆରମ୍ଭ କରି ସାରିଥିଲେ। ସେମାନଙ୍କ ଶଙ୍ଖନାଦ, ହୁଳହୁଳି ଓ ଜୟ ଜୟ ପରମାତ୍ମନ ର କୋଳାହଳରେ ସେଦିନ ପୁରୁଷୋତ୍ତମ ମୁଖରିତ ହୋଇ ଉଠିଥିଲା। ଧବଳଗିରି ଦୁଲୁକି ଉଠିଥିଲା। ତା’ପର ର ଘଟଣା ଆଜିର କିମ୍ବଦନ୍ତୀ ଅଟେ। ସାରଳା ଦାସ ତାଙ୍କ ମହାଭାରତ, ମୂଷଳୀ ପର୍ବ, ପୃ – ୫୧, ୧୮-୧୯ ରେ ଲେଖିଲେ: ୟେତେ ବୋଲି ଦେବ ତତକ୍ଷଣେ ହେଲେ ଅନ୍ତର୍ଧାୟ। ପାଷାଣ ରୂପ ଧଇଲେ ପ୍ରଭୁ ଦେବରାୟ॥ ଅଗ୍ର ବୃକ୍ଷ ଆବୋରି ରହିଲେ ଭଗବାନ। ଶବରୀ ନାରାୟଣ ରୂପେ ପୂଜା ଯେ ପାଇଣ॥

ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ର ଧବଳଗିରି ରୁ ନୀଳଶୈଳର ଯାତ୍ରା ବୈଦିକ ସମୟର ଅଟେ। ନକ୍ଷତ୍ରୀୟ ଶାସ୍ତ୍ରର ବିଶେଷଜ୍ଞ ମାନେ ଏହାର ଆରମ୍ଭ ସମୟ ୧୩୦୦୦ ବର୍ଷର ପୁରୁଣା ବୋଲି ଅଭିହିତ କରିଛନ୍ତି। ପ୍ରାକ୍‌ବୈଦିକ ନଦୀ ସରସ୍ୱତୀ ପୂର୍ବର ସାଗରରେ ପଡିଥିବା କଳ୍ପନାରୁ ଉର୍ଦ୍ଧ୍ୱରେ ଜଣା ପଡିପାରେ। ସେଥି ନିମନ୍ତେ ବିଦ୍ୱାନ ମାନଙ୍କୁ ପୁରୁଷୋତ୍ତମ ଜଗନ୍ନାଥଙ୍କ ପ୍ରାଚୀନତା ସମ୍ବନ୍ଧରେ ଅଧିକ ରୁ ଅଧିକ ଅନୁସନ୍ଧାନମୂଳକ ତଥ୍ୟ ରଖିବା ନିମନ୍ତେ ଆହ୍ୱାନ କରା ଯାଉଛି। ବସୁକ୍ର ଋଷିଙ୍କ ଶ୍ଳୋକରେ ଆର୍ୟମା (ଅରୁଣ ସୂର୍ଯ୍ୟ) ତଥା ସରସ୍ୱତୀ ଦୁଇଟି ଶବ୍ଦ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଯେହେତୁ ବେଦ ସରସ୍ୱତୀ ସାଗରରେ ପତିତ ହୋଇଛି ତଥା ଆଫଗାନିସ୍ଥାନରେ ସମୁଦ୍ର ନାହିଁ, ତେଣୁ ପ୍ରୋଫେସର ବି ବି ଲାଲ ଆଫଗାନିସ୍ଥାନର ହେଲମାଣ୍ଡ ନଦୀ ପ୍ରାଚୀନ ସରସ୍ୱତୀ ନଦୀ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ଓଡିଶାର ପ୍ରାଚୀ ସରସ୍ୱତୀ, ପ୍ରତିଚୀ, ଚିତ୍ରୋପ୍ତଳା, ଚନ୍ଦ୍ରଭାଗାର ସତ୍ୟତା ମଧ୍ୟରେ ପ୍ରାକ ବୈଦିକି ସରସ୍ୱତୀ ଙ୍କ ଧାର ରହିଛି।

ସୃଷ୍ଟି, ସ୍ଥିତି ଲୟ ସବୁଠାରୁ ଉର୍ଦ୍ଧ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କୁ ଆଶିଷ ଭିକ୍ଷାପୁର୍ବକ ଦୁଇଟି ତତ୍ତ୍ୱ – ୩୭୮୩ ବର୍ଷ-ତତ୍ତ୍ୱ ଓ ୧୪୪ ବର୍ଷ-ତତ୍ତ୍ୱ ଓରଫ ଶ୍ରୀ-ସଂସ୍କୃତି – ତଥା ତିନୋଟି ତଥ୍ୟ ସମ୍ବଳିତ ସମୟ ସିଦ୍ଧାନ୍ତ ପର୍ଯ୍ୟବେସିତ ଲଙ୍ଗର ପଟ୍ଟକ (Anchorsheet) – ଯଥାକ୍ରମେ ବୀର ବିକ୍ରମାଜିତଙ୍କ (ଶୁଦ୍ରକ-ବିକ୍ରମାଦିତ୍ୟ) ଶାସନ, ସୋମବଂଶ ଶେଷରେ ଦିଲ୍ଲିରେ ଜଣେ ଦୁଷ୍ଟରାଜା (ମହାପଦ୍ମନନ୍ଦ) ଙ୍କ ସିଂହାସନ ଆରୋହଣ ଓ ଯଜାତି କେଶରୀଙ୍କ ପୁତ୍ର ସୂର୍ଯ୍ୟ କେଶରୀଙ୍କ ୨୩ ଅଙ୍କରେ ୮ ବଂଶର ବାହ୍ମଣ ଶାସନ (ପୁଷ୍ୟମିତ୍ର ଶୁଙ୍ଗ) ଆରମ୍ଭ – କୁ ଆଧାର କରି ସେଥିର ଗ୍ରନ୍ଥି ଖୋଲିବାର ପ୍ରୟାସ କରା ଯାଇଛି।

DISCLAIMER: The author is solely responsible for the views expressed in this article. The author carries the responsibility for citing and/or licensing of images utilized within the text.